ପରୀର ପିଲାଦିନ ପ୍ରବାସିନୀ ମିଶ୍ର ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-4706990747.html ସୁନ୍ଦରୀ ପରୀ ତା ` ର ସୁନେଲି ପର ସାହାଯ୍ୟରେ ଯେଉଁଆଡ଼େ ମନ କରୁଥିଲା ବୁଲୁଥିଲା । ସାତ ସମୁଦ୍ର ତେର ନଈ ପନ୍ଦର ପାହାଡ ଅତିକ୍ରମ କରି ବାଦଲ ସହିତ ମିଶି ଯାଉଥିଲା ପୁଣି କେତେବେଳେ ଚଲା ବାଦଲ ସହିତ ଲୁଚକାଳି ଖେଳ ଖେଳୁଥିଲା । ଜହ୍ନମାମୁ ଦେଶକୁ ଯାଇ ବୁଲି ଆସୁଥିଲା । କେତେ ନୂଆ ନୂଆ ଖବର ସାଙ୍ଗମାନଙ୍କ ଆଗରେ ଗପୁଥିଲା ଯେ ଗପୁଥିଲା । ତା ପାଖରେ କି ଯାଦୁ ଅଛି କେଜାଣି ପାଠରେ ପ୍ରଥମ, ନାଚରେ ଗୀତରେ ଖେଳରେ ସବୁଥିରେ ପ୍ରଥମ । ପରୀ ସାଙ୍ଗରେ ସାଙ୍ଗ ହେବାକୁ ସମସ୍ତେ ଆଗଭର । ପରୀ କିନ୍ତୁ କାହାକୁ ନିଏନି ତା ସାଙ୍ଗରେ ବୁଲିବାକୁ । ଶୂନ୍ୟ ଶୂନ୍ୟ ମହା ଶୂନ୍ୟରେ ଉଡି ବୁଲିଲା ବେଳେ ଭାରି ମଜା ଲାଗେ ଦେଖିବାକୁ ତା ସାଙ୍ଗ ଟୁଇଁକୁ । ମନେ ମନେ ଭାବେ ମୁଁ ଏମିତି ପରୀଟିଏ ହୋଇ ଯାଆନ୍ତି କି ମନ ଅନୁସାରେ ଘୁରି ବୁଲନ୍ତି । ସବୁଜ କ୍ଷେତ, ଶାଗୁଆ ବଣ, ନୀଳ ଆକାଶ, ସୁନ୍ଦର ପାହାଡ଼, କୁଳୁକୁଳୁ ନଦୀ , ସୁନୀଳ ସମୁଦ୍ର ସବୁ ମନ ଭରି ଦେଖୁଥାନ୍ତି । ଟୁଇଁ ମନକୁ ପୁଣି ଆସିଲା ଯଦି ଝଡ଼ ବତାସ ହେବ ତାହେଲେ ...... । ସଙ୍ଗେ ସଙ୍ଗେ କେଉଁଆଡୁ କଳାହାଣ୍ଡିଆ ମେଘ ଘୋଟି ଆସିଲା । ବହୁ ଜୋରରେ ପବନ ବହିବାକୁ ଲାଗିଲା । ଟୁଇଁ ଆଖି ଆଗରୁ ପରୀ କୁଆଡେ ଉଭାନ୍ ହୋଇଗଲା । ଆଉ ତା ଆଖ ପାଖରେ ଦିଶିଲାନି । ମନରେ ବହୁତ ଭୟ ଲାଗିଲା ତା ସାଙ୍ଗ ପରୀ ପାଇଁ । ପୁଣି ଭାବିଲା ତା ସାଙ୍ଗ ଏମିତି ସେମିତିରେ ହାରିଯିବା ପିଲା ନୁହଁ । ସେ ନିଶ୍ଚିତ କେଉଁଠି ନିରାପଦ ସ୍ଥାନରେ ରହି ଯାଇଥିବ । ଭଗବାନଙ୍କୁ ମନେ ମନେ ପ୍ରାର୍ଥନା କଲା ତା ପରୀକୁ ରକ୍ଷା କରିବା ପାଇଁ । ଧିରେ ଧିରେ ଝଡ଼ କମିଗଲା । ଟୁଇଁର ଆଖି ଦୁଇଟି ଖୋଜି ବୁଲିଲା ତା ସାଙ୍ଗ ପରୀକୁ ଦେଖିବା ପାଇଁ । ସୁନେଲି ପରକୁ ହଲେଇ ହଲେଇ ହସି ହସି ପରୀ ପହଞ୍ଚିଗଲା ଟୁଇଁ ପାଖରେ । ଜୋରରେ କୁଣ୍ଢେଇ ପକାଇ ଆନନ୍ଦରେ କାନ୍ଦି ଉଠିଲା ଟୁଇଁ । ଟୁଇଁର ମାଆ କାଳି ଅନ୍ଧାରରୁ ଉଠି ବାସି ପାଇଟି କରୁଥାନ୍ତି । ଟୁଇଁର କାନ୍ଦିବା ଶବ୍ଦ ଶୁଣି ଧାଇଁଗଲେ ଶୋଇବା ଘରକୁ । ଟୁଇଁକୁ ମାଆ କୋଳେଇ ନେଇ କହି ପକାଇଲେ-" ମୋ ସୁନ୍ଦରୀ ପରୀ କାଇଁ କାନ୍ଦୁ ଥିଲାଲୋ .... ? " ଟୁଇଁ ଲୁହ ପୋଛି ଦେଇ କହିଲା ମୁଁ କଣ ପରୀ ? ହଁ ତୁ ତ ଆମ ପରୀ ..... । ହେଲେ ସେ ଯେଉଁ ପରୀ ଉଡୁଥିଲା , ଖେଳୁଥିଲା ? ମାଆ କହିଲେ- ଆରେ ତୁ ସପନ ଦେଖୁଥିଲୁ ନା କଣ ? ସେ ତ ସପନପରୀ । ତୁ ତ ଆମର ସତ ସତିକା ପରୀ । ତୁ ବି ବଡ ହେଲେ ଉଡାଜାହାଜରେ ବସି ଆକାଶରେ ଉଡି ପାରିବୁ । ଚନ୍ଦ୍ର ଯାନରେ ଜହ୍ନ ରାଇଜକୁ ଯାଇ ପାରିବୁ । ଏବେ ଆମ ପରୀର ପିଲାଦିନ । ଆଜିର ପରି ରାଇଜର ଭ୍ରମଣ କାହାଣୀ ସତରେ ପରିଣତ ହେବ । ମନେ ମନେ ମାନି ନେଉଥିଲା ଛୋଟ ଝିଅ ଟୁଇଁ ବଡ ହେଲେ ସୁନ୍ଦରୀ ପରୀ ପରି ନିଶ୍ଚିତ ଆକାଶରେ ଉଡିବ । ସେଥିପାଇଁ ଯାହା ଶିକ୍ଷା କରିବା କଥା ମନ ଲଗାଇ ଶିଖିବ....... । ∎ ଶ୍ରୀବିହାର ରାସ୍ତା ପୁରୀ- 3