ଗୁଡ଼ୁଲ୍ - ଗୁଡ଼ଲିଙ୍କ ରହସ୍ୟମୟ ଯାତ୍ରା ଭାଗ -୨ ସ୍ନିଗ୍ଧା ନାୟକ ଅଗଷ୍ଟ: ୨୦୨୬ Canonical: https://sishu.kabitawithoutborders.org/shishu/article_details-46fb687ba1.html ଗ୍ରୀଷ୍ମର ସନ୍ଧ୍ୟା....। ଖରା ଚାଲି ଯାଇଥାଏ ,ଖଣ୍ଡିଏ କଳାବାଦଳ  ଉଁଇ  ଆସୁଥାଏ ଆଉ ଶୀତଳ ସମୀର ବିଞ୍ଚୁଥାଏ । ଘର ଅଗଣାରେ ଗୁଡୁଲ୍, ଗୁଡ଼ଲି ଆଉ ଶୁଆଙ୍କ ସଭା ଚାଲିଥାଏ, କିଭଳି ଏଲିନର ସନ୍ଧାନରେ ବାହାରିବେ । ଶୀତଳ ପବନର ସ୍ପର୍ଶରେ ଶୁଆଟି ମଝିମଝିରେ ଢୁଳାଇ ପଡୁଥାଏ ପୁଣି ପରକ୍ଷଣରେ  ନିଜକୁ ସମ୍ଭାଳି ନେଇ ମୁଣ୍ଡ ଉପର ଚୂଳକୁ ଗୋଡ ଆଙ୍ଗୁଠି ସାହାର୍ଯ୍ୟରେ କୁଣ୍ଡାଇ ନେଇ ତା`ରଙ୍ଗୀନ୍ ଡେଣାକୁ ମେଲାଇ ଅଳସ ଭାଙ୍ଗି ସଭାରେ ସାମିଲ୍ ହେଇପଡେ । ଗୁଡୁଲ୍  ତା`ପାଖ ଚୌକିରେ ବସି ଗୁମସୁମ୍ ହୋଇ ବଗିଚା ଆଡ଼କୁ ଅନାଇଥାଏ । ଗୁଡ଼ଲି  ସେଇଠୁ ଉଠିଯାଇ  ବଖରା ଭିତରୁ ଆଲବମଟିଏ ନେଇ ଫେରିଲା । ଗୁଡୁଲ୍ ପାଖରେ ବସିପଡ଼ି ଆଲବମର ଗୋଟାଏ ପରେ ଗୋଟାଏ ପୃଷ୍ଠା ଓଲଟାଇ ଏଲିନର  ଛବିଗୁଡ଼ିକୁ ଦେଖି ପୁରୁଣା ସ୍ମୃତିକୁ ମନେପକାଇ ତାକୁ ଝୁରୁଥାନ୍ତି । ଶୁଆଟି ମଧ୍ୟ ସେମାନଙ୍କ ସହ ସାମିଲ୍ ଥାଏ । ଆଜି ଏଲିନର ଜନ୍ମଦିନ । ଗତବର୍ଷ ଠିକ୍ ଏହି ସମୟରେ ଗ୍ରିଷ୍ମଛୁଟି କଟାଇବା ପାଇଁ ସେମାନେ ହିଲ୍ ଷ୍ଟେସନକୁ ଯାଇଥିଲେ ଆଉ ସେସମୟରେ ପାହାଡର ଗୋଟାଏ କଣରେ ଏଲିନକୁ ପାଇଥିଲେ । ଅନାଥ ପରି ପଡ଼ି ରହିଥିଲା ଆଉ ଉପରେ  ଛଞ୍ଚ। ଣଟିଏ   ଉଡ଼ି ବୁଲୁଥିଲା । ସବୁଠୁ ଆଶ୍ଚର୍ଯ୍ୟ ହେଲା ଏଲିନ୍ ପାଖରେ ଗୋଟାଏ ବଡ ଅଣ୍ଡା ପଡ଼ିଥିଲା ଠିକ୍ ଓଟପକ୍ଷୀର ଅଣ୍ଡାପରି  । ଅଣ୍ଡାଟି ଫାଟି ଯାଇଥାଏ ଆଉ ତା`ଭିତର ତରଳ ପଦାର୍ଥରେ ଏଲିନ୍ ଲୋଟ୍ ପୋଟ୍ ହୋଇ ଯାଇଥାଏ । ଦେଖିଲେ ଲାଗୁଥାଏ ଯେମିତି ଏଲିନ ସେଇ ଅଣ୍ଡା ଭିତରୁ ବାହାରିଛି କିନ୍ତୁ ଏଲିନ୍ ତ କୁକୁର ଛୁଆଟାଏ, ପକ୍ଷୀର ଅଣ୍ଡାରୁ ଜନ୍ମ ନେବ  କିପରି..!! ଜଙ୍ଗଲି ପାହାଡିଆ ଜାଗା, ହେଇପାରେ କୌଣସି ବିରାଟ ପକ୍ଷୀର ଅଣ୍ଡା ସେଇଠି ପଡ଼ି ଫାଟି ଯାଇଥିବ ଆଉ ଏଲିନକୁ ଭୋକ ହେଇଥିବ ଆଉ ଖାଦ୍ୟ ଆଶାରେ ଅଣ୍ଡା ପାଖକୁ ଆସିଯାଇଥିବ । ଅଣ୍ଡାର ତରଳ ପଦାର୍ଥରେ ଲୋଟପୋଟ ହୋଇ ଯାଇଥିବାରୁ ସେଥିରୁ ବାହାରି ହୁଏତ ଅନ୍ୟତ୍ର ଯାଇ ପାରିନଥିବ  । ଅଭିଭାବକଙ୍କୁ ଜିଦ୍ କରି ସେଇଠୁ ସେମାନେ ଏଲିନକୁ ସାଥିରେ ନେଇଆସିଲେ , ତାକୁ ଗାଧେଇପାଧୋଇ ସଫାସୁତୁରା କଲେ । ଏଲିନର ରଙ୍ଗ ଇଷତଧଳା, ଗୋଲଗୋଲ ବଡଆଖି ଠିକ୍ ଏଲିୟାନ ମାନଙ୍କ ଭଳି ତେଣୁ ତା`ନାଆଁ ରଖାଗଲା ଏଲିନ୍। ସବୁଠୁ  ନିଆରା ଥିଲା ଅଣ୍ଟା ଦି`ପଟରେ ଥିବା ତିନିଇଞ୍ଚର ଡେଣା ଭଳି କିଛି , ଯାହା  ତାକୁ ଅନ୍ୟ ପଶୁମାନଙ୍କଠୁ ଭିନ୍ନ କରୁଥିଲା । ଛୁଟି କଟାଇ ଗୁଡ଼ୁଲ୍ ଗୁଡ଼ଲି ଅଭିଭାବକଙ୍କ ସହ ଘରକୁ ଫେରିଲେ ଆଉ ତାଙ୍କ ସହ ଫେରିଲା ଏଲିନ୍ ତାଙ୍କ ପରିବାରର ଜଣେ ସଦସ୍ୟ ହୋଇ । କିନ୍ତୁ ହଠାତ୍ ଏମିତି ନିଖୋଜ ହେଇଥିବା ଖବର ସମସ୍ତଙ୍କ ମନକୁ ଆଘାତ ଦେଇଥିଲା । ଗୁଡୁଲ୍, ଗୁଡ଼ଲି ଆଉ ଶୁଆଟି ଏଲିନର ଛବି ଦେଖିବାରେ ମଜ୍ଜି ଥିଲେ ହଠାତ୍ ଶୁଆଟି ଚିର୍.... ଛିର... ଛିର୍.... ର୍.. କରି ସେମାନଙ୍କ ଦୃଷ୍ଟି ଆକର୍ଷଣ କଲା ଓ କହିଲା - quot;ଏମିତି ସମୟ ନଷ୍ଟ କରିବା ଅପେକ୍ଷା ଡ଼ାମରା କାଉକୁ ଭେଟି ସଠିକ୍ ଖବର ନେଇ ଏଲିନର ଖୋଜ କରିବାଟା  ଠିକ୍ ହେବ । "  ଗୁଡୁଲ୍ , ଗୁଡ଼ଲି ତା`କଥାରେ ସମ୍ମତି ଜଣାଇଲେ । କିନ୍ତୁ ଏବେ ସବୁଠାରୁ କାଠିକର ହେଉଥିଲା ଶୁଆକୁ ପଞ୍ଜୁରୀରୁ କାଢି ଡାମରା କାଉର ସନ୍ଧାନରେ ପଠାଇବା କାରଣ ଆଈ ଏସବୁର ଖବର ପାଇଲେ ଦିଂହିଙ୍କି ଖୁବ୍ ଶାସ୍ତିଦେବ । ଗୁଡଲି ମନରେ ଗୋଟାଏ ଉପାୟ ଜୁଟିଲା । ସେ ତତକ୍ଷଣ ଯାଇ ତା`ଖେଳଣା ବାସ୍କେଟରୁ କଣ୍ଢେଇ ଶୁଆକୁ ଆଣି ପଞ୍ଜୁରୀ ଭିତରେ ପୁରାଇ ଦେଲା ଆଉ ସତ ଶୁଆକୁ କାଢି ଡାମରା କାଉର ସନ୍ଧାନରେ ଯିବା ପାଇଁ କହିଲା । ସଂଜ ଗଡିବାର ଘଡ଼ିଏ ହୋଇ ଯାଇଥାଏ ଅନ୍ଧାର ମାଡ଼ିଆସି ଚନ୍ଦ୍ରମାର ଶୋଭା ବଢ଼ାଉଥାଏ । ପଞ୍ଜୁରୀର ଦ୍ୱାର ଖୋଲୁଖୋଲୁ  ଶୁଆ ବାହାରକୁ ଆସି ପାଚେରୀ ଉପରେ ବସିପଡ଼ିଲା । ମୁଣ୍ଡକୁ ଚାରିଦିଗକୁ ବୁଲାଇ ଆଖି ବଡ଼ କରି ଚୀର୍.. କିର୍....ର୍..ଛିର୍ କରି ଡେଣା ଖୋଲି ଅଳସ ଭାଙ୍ଗିଲା , ତା`ପରେ ମୁଣ୍ଡ ଉପର ଚୂଳକୁ ଗୋଡ଼ ଆଙ୍ଗୁଳିରେ କୁଣ୍ଡାଇ ଆଣି ଉଡ଼ିବା ଆରମ୍ଭ କଲା ,ଲାଞ୍ଜର ରଙ୍ଗୀନ୍ ପର ଗୁଡ଼ିକ ଫୁଲ ପାଖୁଡ଼ା ମେଲିଲା ଭଳି ଖୋଲି ହୋଇଗଲେ ଆଉ ଶୁଆଟି ସେମାନଙ୍କଠୁ ବିଦାୟ ନେଇ  ଉଡିଗଲା ଆକାଶ ମାର୍ଗଦେଇ ଜଙ୍ଗଲ ଆଡ଼କୁ ଡାମରା କାଉର ସନ୍ଧାନରେ.....। କ୍ରମଶଃ....