ଚକୋଲେଟ୍ ଦାଶ ବେନହୁର ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-410c013647.html ମତେ ଭଲ ନ ପାଉଥିବା ପିଲା କିଏ କେଉଁଠି ଥିବ ବୋଲି ମୋର ବିଶ୍ଵାସ ହେଉନି। ଯିଏ ନ ଖାଇଚି ନାହିଁ, ମାତ୍ର ଯିଏ ଥରେ ଚାଖିଚି ସେ ମୋର ବାସ୍ନା ଓ ସୁଆଦ ଭୁଲିପାରିବନି। ଏମିତି ଦେଶ ନାହିଁ, ମୁଁ ଯେଉଁଠି ନ ମିଳେ। ଅନେକେ ଜାଣି ନ ଥିବେ ଯେ ମୋର ସ୍ଵାଦ ପ୍ରକୃତରେ ପିତା। ମୁଁ କୋକୋ ଗଛର ଫଳରୁ ତିଆରି । କୋକୋ ଫଳକୁ ଆଣି ସଫାକରି ସିଝେଇ, ଭାଜି, ଚୋପା ଛଡ଼େଇ ସେଇ ଶସକୁ ଗୁଣ୍ଡ କଲେ ମୁଁ ବାହାରେ । ହେଲେ ପୁଣି ମତେ ଖଣ୍ଡ ନ ହେଲେ ଲୁହଣି କରି ପ୍ରସ୍ତୁତ କରାଯାଏ। ପରବର୍ତ୍ତୀ ସମୟରେ ସେଥିରେ ମିଠା,କ୍ଷୀର ଓ ଅନ୍ଯାନ୍ଯ ସ୍ନେହସାର ମିଶେଇ ମତେ ସୁସ୍ବାଦୁ କରାଯାଏ। ମିଠା ମିଶାଯାଉଥିବାରୁ ମୋର ପିତା ଅଂଶ ଜଣାପଡ଼େ ନାହିଁ । ତେବେ କେହି କେହି ମୋର ପିତା ସ୍ଵାଦକୁ ମଧ୍ୟ ବେଶ୍‌ ଉପଭୋଗ କରନ୍ତ । ମୋର ରଙ୍ଗ ଗାଢ଼ ଖଇରିଆ। କିନ୍ତୁ ଧଳା ଚକୋଲେଟ୍‌ ତିଆରି କରିବାଲାଗି ମତେ ଲହୁଣି ଆକାରରେ କ୍ଷୀର ଓ ଚିନି ସହିତ ମିଶାଇ ତିଆରି କରାଯାଏ। ମେସିକୋ ଓ ଦକ୍ଷିଣ ଆମେରିକା ଭଳି ଅଞ୍ଚଳରେ ମୋର ବ୍ୟବହାର ଖ୍ରୀଷ୍ଟପୂର୍ବ ୧୧୦୦ରୁ ହେଲାଣି। ଖଣ୍ଡ କୋକୋ ଖାଇଲେ ରକ୍ତଚାପ କମେ ବୋଲି ଗବେଷଣାରୁ ଜଣାପଡ଼ିଛି। ମାତ୍ର କୋକୋରୁ ପ୍ରସ୍ତୁତ ମୋର ମିଠାରୂପ ସାରା ଜଗତକୁ ଆକୃଷ୍ଟ କରିଛି । ମେଳା ମଉତ୍ସବରୁ ଆରମ୍ଭ କରି ଖୁସିର ଦିନ ଗୁଡ଼ିକରେ ଉପହାର ଦେଲା ଭଳି ମୋ ଠାରୁ ଅଧକ ପ୍ରିୟ ପଦାର୍ଥ ଆଉ କ`ଣ ଅଛି ଇଉରୋପ ମହାଦେଶରେ ମତେ ମିଠା କରି ଦିଆଗଲା, ନଚେତ୍‌ ମେକ୍ସିକୋ ଓ ଦକ୍ଷିଣ ଆମେରିକାରେ ପ୍ରାଚୀନ କାଳରେ ସେଇ ପିତା ସ୍ଵାଦ ଧରି ମୁଁ ବ୍ୟବହୃତ ହେଉଥିଲି । ବିଲାତର ଜନ୍‌ କାଡ୍‌ବରି ମତେ ଲମ୍ବାଳିଆ ଖଣ୍ଡ କରି ପ୍ରସ୍ତୁତ କଲେ ଓ ସର୍ବଜନାଦୃତ କରିଦେଲେ। ମୋର ଅନେକ ଗୁଣ ଭିତରୁ, ପିଲାମାନଙ୍କର ବୁଦ୍ଧି ବଢ଼ାଇବାରେ ମୁଁ ସହାୟକ ବୋଲି ଏବେ କୁହାଗଲାଣି । ତେବେ ମୋ ନାମକୁ ଯୋଡ଼ି ଯେଉଁମାନେ ଖାଲି ମିଠା ଚିନିର ଖଣ୍ଡକୁ ଚକୋଲେଟ୍‌ ବୋଲି କହୁଛନ୍ତି, ସେମାନଙ୍କ ପ୍ରତି ସାବଧାନ ରହିବା ଦରକାର । ∎