ଖାଇବା ଚିନ୍ତାରେ ଜଗତ ମଗନ ଲକ୍ଷ୍ମୀପ୍ରିୟା ଦାସ ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-3f7dfd491e.html ଗଛେ ଚଢିଯାଇ ଏଣ୍ଡୁଅ ଦେଖିଲା ଅନେକ ପାଚିଲା ଭଣ୍ଡା, ତୋଳିନେବା ପାଇଁ ଇଚ୍ଛା କରୁଥିଲା ହାତରେ ନଥିଲା ଖଣ୍ଡା। ପାଣି ଗୁଣ୍ଡୁରିଟେ ପହଁରୁ ପହଁରୁ ପାଇଲା ଗେଣ୍ଡାର ଅଣ୍ଡା, ମଣ୍ଡାପିଠା ପରି ଖୁସିରେ ଖାଇଲା ପେଟଭୋକ ହେଲା ଥଣ୍ଡା। ତେଣ୍ଡାପାଖେ ଥାଇ ଧଣ୍ଡ କହୁଥିଲା ଫଟାଇବ ନାକଦଣ୍ଡା, ଦରାଣ୍ଡି ଦରାଣ୍ଡି କେରାଣ୍ଡି ଧରିଲେ ପୂରାଇ ରଖିବ ହଣ୍ଡା। ଗହୀର ବିଲରୁ ଧାନକେଣ୍ଡା ବୋହି ମୂଷା ହୋଇଗଲା ଲଣ୍ଡା, ବଡ଼ ପରିବାର ପୋଷଣ ଚିନ୍ତାରେ ଝୁଲଇ ତାମୁଣ୍ଡେ ଖଣ୍ଡା। ଗୁରୁଣ୍ଡି ଗୁରୁଣ୍ଡି ଗୋଧି ଚାଲୁଥିଲା ହସିଦେଲା ଦେଖି ପଣ୍ଡା, ଖାଇବା ଚିନ୍ତାରେ ଜଗତ ମଗନ ବଣରେ ବୁଲଇ ଗଣ୍ଡା। ∎ ସୁଦର୍ଶନ ନଗର ପୁରୀ-୭୫୨୦୦୨