ସେ ଚିର ଅପାଶୋରା ଡ. ବିଜୟା ପାତ୍ର ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-3e6e9b8277.html ଓଡିଶା ଆମ ରାଇଜ ସେଠି ଅଛି ଗୋଟିଏ ଗାଆଁ, ଯେଉଁଠି ମୁହିଁ ଜନମ ନେଇ ଡାକିଲି କୁଆଁ କୁଆଁ। ଧୀରେ ଧୀରେ ମୁଁ ହୋଇଲି ବଡ ପାଦ ଥାପିଲି ଯହିଁ, ସେହି ତ ମୋର ଅତି ନିଜର ପ୍ରିୟ ଜନମ ଭୂଇଁ। ତା ଶସ୍ଯ କ୍ଷେତ, ତା ନଈ ନୀର ଯୋଗାଏ ମତେ ବଳ, ତା ବୁକୁ ପରେ ସାଥୀ ମେଳରେ ଖେଳିଛି କେତେ ଖେଳ। ଲଟା ବୁଦାରୁ ତୋଳିଛି କେତେ ଭଳିକି ଭଳି କୋଳି, ଯାନି ଯାତରା ଦେଖିଛି କେତେ ଖେଳିଛି ରଜ ଦୋଳି। ପାଟ ପୋଖରୀ ଭିତରେ ପଶି ଆଣିଛି ପଦ୍ମ, କଇଁ, ପୂଜିବେ ବୋଲି ସାହୀର ଝିଅ ଖୁଦୁରୁକୁଣି ପାଇଁ। ବାରି ଅଗଣା ପାହାଚେ ବସି ଦେଖିଛି କେତେ ଜହ୍ନ, ଜେଜେମା କୋଳେ ଗପ ଶୁଣିଛି ପୁରି ଉଠିଛି ମନ। ବୋଉ କରଇ ନିତି ରୋଷେଇ ପୂଜାରେ ପିଠାପଣା, ଅନ୍ଧାର ରାତି ଦେଖିଲେ ଲାଗେ ହେବି କି ବାଟବଣା? ଗାଆଁ ସ୍କୁଲ୍ ଟି ମୋ ପ୍ରିୟ ସ୍ଥାନ ପଢଇ ଯାଇ ପାଠ, ଗୁରୁଜୀ ଗଣ ପଢାନ୍ତି, କହି, ହୁଅ ରେ ଭଲ ଚାଟ। ପ୍ରତିଟି ଦିନ ମୋ ପାଇଁ ଏଠି ହସ ଖୁସିରେ ଭରା, ଗାଆଁ କୁ ମୋର ଭୁଲିବି ନାହିଁ ସେ ଚୀର ଅପାଶୋରା। ∎ କୋଟି ତୀର୍ଥ ଲେନ୍ ଭୁବନେଶ୍ୱର-୨ ମୋ-୯୪୩୭୦୧୪୩୨୨