ରାତି ପାହିଲେ ସକାଳ ହେଲେ ଧ୍ରୁବ ଚରଣ ଘିବେଲା ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-39efc9627d.html ରାତି ପାହିଲେ ସକାଳ ହେଲେ  ଆସେ ନୂଆଦିନଟେ  ସବୁରି ମନେ ଭରି ଦିଏ ସେ  ସପନ କେତେ କେତେ I  ଲୁଚି ଯାଆନ୍ତି ରାତିର ତାରା  ସକାଳର ଆଭାରେ  ଦିନରେ ଶୋଇ ସଞ୍ଜକୁ ଚେଇଁ  ଉଠନ୍ତି ତାରା ଧିରେ I  ସୂରୁଯ ଉଇଁ ପୂରୁବ ଦିଗେ  ବୁଣେ ସୁନେଲି ଆଭା  କେତେ ବଢ଼ିଆ ସେ ରଙ୍ଗ ଆଭା  ଅତୀବ ମନଲୋଭା I  କୁଆ କାଆରେ ନିତି ସକାଳେ   ଭାଙ୍ଗେ ପିଲାଙ୍କ ନିଦ  ନିଦରୁ ଉଠି ମୁହଁ ଧୋଇକି  ପଢ଼ି ବସନ୍ତି ଆଗ I  ସବୁଠୁ ବେଗି ମାଆ ଉଠିକି  ସାରି ବାସି ପାଇଟି  ଗାଧୁଆ ସାରି ପୂଜା କରନ୍ତି  ବଜେଇ ଶୁଭ ଘଣ୍ଟି I  ବସା ଛାଡ଼ିକି ଡେଣା ମେଲିକି  ପକ୍ଷୀ ଯାଆନ୍ତି ଉଡ଼ି  ଦଳକୁ ଦଳ ତଳ ଉପର  ଯାଆନ୍ତି ଡେଣା ଝାଡ଼ି I  ପକ୍ଷୀ କାକଳି ପଡ଼େ ଉଛୁଳି  ମଧୁଝରା ସୁରରେ  ଖାଦ୍ୟ ପାଇଁ କି ଉଡ଼ି ଯାଇକି  ଫେରନ୍ତି ସଞ୍ଜ ହେଲେ I ଗଛରେ ଫୁଟେ ଫୁଟିକି ବାସେ  ସୁନ୍ଦର ଫୁଲ କେତେ  ଫୁଲ ବାସରେ ଅଗଣା ଭରେ  ଖୁସି ବି ଲାଗେ ସେତେ I ଫୁଲକୁ ଦେଖି ହୁଅନ୍ତି ଖୁସି  କୁନାକୁନି ସଭିଏଁ  ଫୁଲପରିକା ଫୁଟି ବାସିବେ  ଦିନେ ଆପଣା ଛାଏଁ I  ∎ ବଉଦରାଜ -762014, ଜି. ବୌଦ୍ଧ  ମୋ. 9437478466