ଦେଖରେ ଦେଖ ମୁଁ କିଏ ଡକ୍ଟର ସଚ୍ଚିଦାନନ୍ଦ କର ମଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-2c64ae38a9.html ଇଏ ମୋର ବାୟାବସା ଦେଇଛି ମୁଁ ନିଜେ ବୁଣି ଯୁଆଡ଼େ ଗଲେ ବି ଯେତେ ବୁଲିଲେ ବି ଫେରେ ଏଇଠିକି ପୁଣି ।। ଏଇ ମୋର ବସା ପାଖେ ଦେଖେ ଛୋଟ ଗୋଟେ ନଈ ବରଷାରେ ସିଏ ବୁଡ଼ାଏ ଭସାଏ ବେଗେ ଯାଉଥାଏ ବହି ।। ଦେଖେ ପୁଣି ଶରତରେ ଧୋବ କାଶଫୁଲ ହାଟ ଭରା ଫଗୁଣରେ ପଳାସ ଫୁଲରେ ଶୋଭା ପାଉଥିବା ପାଟ ।। ଆହୁରି ଦେଖେ ମୁଁ ଗୁଡ଼ି ଆସୁଥାଏ ଖସି ଖସି ଦେଖେ ନଈଘାଟେ ଏକାକୀ ବଗଟେ ମାଛ ଖାଉଥାଏ ବସି ।। ଦେଖେ ଚରୁଥାନ୍ତି ଗାଈ ବିଲ ପଡ଼ିଆରେ ଘାସ ଧାନ ମୁଗ ବିରି ଫସଲ କିଆରୀ ଦେଖୁଥାଏ ବାରମାସ ।। ଝୁଲୁଥାଏ ମୋର ବସା ଦେଲେ ସୁଲୁସୁଲୁ ବାଆ ଥାଏ ମୁଁ ଏଇଠି ମୋ ବସାଘରଠି ମୋ ସାଥେ ଥାଏ ମୋ ମାଆ ।। ଲୋକଙ୍କ ଆସିବାଯିବା ଦେଖେ ମୁଁ ବସାରେ ଥାଇ ଗଡ଼ୁଥାଏ ବେଳ ଦେଖୁଥାଏ ଖେଳ ଖେଳୁଥାନ୍ତି ଖରା ଛାଇ ।। ଏଇ ମୋର ବସାଘର ଦେଖ ନ ଦେଖିଛ ଯିଏ ଏ ଯେ ବସାଘର ବାୟାଚଢ଼େଇର ଦେଖରେ ଦେଖ ମୁଁ କିଏ ।। ∎ ନିର୍ମାଲ୍ୟ ନୂଆପଡ଼ା, ନୟାବଜାର, କଟକ - ୦୪ ମୋ. – ୯୮୬୧୨୧୧୦୫୧