ନୂତନର ଅକଲ ରତ୍ନାକର ଦାସ ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-24374b0d0a.html ନିଶିକାନ୍ତ ସାର୍ ଓ ତାଙ୍କ ପରିବାର ପାଖ ବଜାରକୁ ଯାଇଥିଲେ କିଛି ଘରୋଇ ଆସବାବ ଜିନିଷ କିଣିବା ପାଇଁ। ଜିନିଷ କିଣିସାରି ସେମାନେ ଜଳଖିଆ ଖାଇବାକୁ ଭଲ ଦୋକାନକୁ ଗଲେ।ସମସ୍ତେ ନିଜର ପସନ୍ଦ ଅନୁସାରେ ଜଳଖିଆ ବରାଦ କରି ଖାଇଲେ। ତାଙ୍କ ସାନପୁଅ ନୂତନ ମ୍ୟାଗି ଖାଉଥିବା ବେଳେ ତା`ରି ବୟସର ପିଲାଟିଏ ଖାଇବା ଟେବୁଲ ପାଖକୁ ଆସି ଖାଇବାକୁ ହାତ ଠାରି ମାଗିଲା।ଦୋକାନ ମାଲିକ ସେ ପିଲାଟିକୁ ଧମକ ଦେଇ ବାହାରକୁ ଯିବା ପାଇଁ କହିବାରୁ ନୂତନ ଖାଇବା ଛାଡି ଉଠିଗଲା ଏବଂ ପିଲାଟିକୁ ଅପେକ୍ଷା କରିବାକୁ କହିଲା।ସେତେବେଳକୁ ମାଆ, ନୂତନ ଅଧା ଖାଇଥିବା ପ୍ଲେଟକୁ ଧରିଲେଣି ସେ ଭୋକିଲା ପିଲାଟିକୁ ଦେବା ପାଇଁ। ନୂତନ ବାରଣ କରିବାରୁ ମା` କହିଲେ ସେ ଭିକାରୀ ପିଲାଟାର `ଦୃଷ୍ଟି` ତୋ ଖାଇବା ପ୍ଲେଟ ରେ ପଡିଛି,ସେଇଟା ତାକୁ ଦେଇଦେବା। ନୂତନ କହିଲା ମା` ! "ଭିକାରୀ ହେଲେ ବି ଅଇଁଠା ଖାଦ୍ୟ ତାକୁ ଦେବା ଉଚିତ ନୁହେଁ।ଆଉ ଗୋଟିଏ ମ୍ଯାଗି ପ୍ଲେଟ ଦେବା ପାଇଁ ଦୋକାନୀକୁ ବରାଦ ଦିଅ।" ନୂତନ ମୁହଁରୁ ଏମିତି ଅକଲର କଥା ଶୁଣି କେବଳ ତା`ର ମାଆ ନୁହେଁ,ଦୋକାନରେ ଖାଉଥିବା ଅନ୍ଯ ସବୁ ଲୋକ ତାକୁ ଚାହିଁ ରହିଥିଲେ କିଛି ଗୋଟେ ନୂଆ ଜିନିଷ ଦେଖିଲା ଭଳି। ନୂତନ ସେତେବେଳକୁ ଦୋକାନୀଙ୍କ ପାଖରୁ ମ୍ଯାଗି ପ୍ଲେଟ ନେଇ ପିଲାଟି ହାତକୁ ବଢାଇ ଦେଇଥିଲା ।ପିଲାଟାର ମୁହଁରେ ଯେତିକି ହସ ଖେଳି ଯାଉଥିଲା ତା ଠାରୁ ଅଧିକ ଖୁସି ଅନୁଭବ କରୁଥିଲା ତା`ରି ବୟସର ପିଲା ନୂତନ। ∎ ସଭାପତି ଉତ୍କଳମଣି ଶିଶୁ ସାହିତ୍ଯ ସମିତି ଶଂଖୋ,କେନ୍ଦୁଝର ।