ସଂକଳ୍ପର ଅକଲ ରତ୍ନାକର ଦାସ ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-22c82e6d58.html ବସ୍ ଭିଡ ନ ଥିଲେ ବି ସିଟ୍ ଫାଙ୍କା ନ ଥିଲା।ଠିଆ ହୋଇ ଥିବା ଲୋକ ପାଞ୍ଚ ଛ` ଜଣ ଥିଲେ।ଜଣେ ବୁଢୀ ଲୋକଙ୍କୁ ତାଙ୍କର ସଂପର୍କୀୟ କେହି ଆଶ୍ରା କରି ବସ୍ କୁ ଚଢାଇଲେ ମଝି ଷ୍ଟପେଜ୍ ରେ। ବୁଢୀ ଲୋକଟି ଠିଆ ହେଇ ପାରୁ ନ ଥାଏ ଦୁର୍ବଳ କିମ୍ବା ରୋଗାକ୍ରାନ୍ତ ଯୋଗୁ।ବସ୍ ର କଣ୍ଡକ୍ଟର ମଧ୍ଯ ବୁଢୀଟିକୁ ବସାଇବା ପାଇଁ ଇଆଡେ ସିଆଡେ ଚାହୁଁଥାଏ। ସିଟ୍ ଛାଡି ଠିଆ ହେବାପାଇଁ କାହାକୁ କହି ପାରୁ ନ ଥାଏ।ଦଶ ବାର ମିନିଟ ପରେ ଜଣକୁ କହିବାରୁ ସିଏ କହିଲେ,ମୁଁ ଠିଆ ହେଲେ ଭଡା ବାବଦ ଅଧା ଟଙ୍କା ମତେ ଫେରାଇ ଦେବେ? କଣ୍ଡକ୍ଟର ଚୁପ୍ ରହିଲେ କିଛି ନ କହି। ଜେଜେଙ୍କ ସହିତ ବସିଥିବା ସଙ୍କଳ୍ପ ଏଇ ସବୁକୁ ଦେଖୁ ଥାଏ ।ହଠାତ୍ ସିଟ୍ ରୁ ଉଠିପଡି ବୁଢୀ ଲୋକଟି ପାଖକୁ ଗଲା।ତା ହାତକୁ ଧରି ସିଏ ବସିଥିବା ସିଟ୍ ରେ ଧୀରେ ବସାଇଲା। ତା ଜେଜେ ଏ ସବୁ ଦେଖି ନାତିକୁ କହିଲେ,ଆରେ ! ମୁଁ ଠିଆ ହେଉଛି, ତୁ ଏଇଠି ବସ୍।ସଂକଳ୍ପ କହିଲା ଜେଜେ! ତମେ ତ ବୁଢା ଲୋକ ,ତମେ ଠିଆ ହେବ ଆଉ ମୁଁ ବସିବି, ଏ ସବୁ କ`ଣ ମତେ ଭଲ ଲାଗିବ? ଦଶ ଏଗାର ବର୍ଷର ପିଲାଟିର ଏ ପ୍ରକାର କାମ ଆଉ ତା`ତୁଣ୍ଡରୁ ଏମିତି ଅକଲର କଥା ଶୁଣି ବସ୍ ର ଯାତ୍ରୀମାନେ ପିଲାଟିକୁ ଚାହିଁ ରହିଥିଲେ ।ଅନେକ ଭାବୁଥିଲେ ଏ ପିଲାଟି ବଡ ହେଲେ `ଭଲ ମଣିଷଟିଏ `ହେବ । ∎ ସଭାପତି ଉତ୍କଳମଣି ଶିଶୁ ସାହିତ୍ଯ ସମିତି ଶଂଖୋ,କେନ୍ଦୁଝର। --**--