ପ୍ରକୃତି ଦେଇଛି କୀର୍ତ୍ତନ ସାହୁ ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-1bcd164b80.html ପ୍ରକୃତି ଦେଇଛି ସକାଳ ସୂରୁଜ ନରମ କିରଣ ଜ୍ୟୋତି ସେଇ କିରଣରେ ଭିଜି ଗଲେ ଥରେ ମିଳଇ ସତେକି ମୋତି । ଶାନ୍ତ ପରିବେଶ ଯୋଗାଇ ଦେଉଛି କାମ କରିବାର ମନ ଭଲ ମନ ନେଇ କାମ କରିଗଲେ ମିଳଇ ଅସଲ ଧନ । ପ୍ରକୃତି ଦେଇଛି ଟିକି ଝରଣାଟି ବହେ କୁଳୁ କୁଳୁ ନାଦେ ସବୁଜିମା ଭରା ଗଛ ଲତା ମଧ୍ୟେ ପାହାଡ଼ର ପାଦେ ପାଦେ । ପରିବେଶ ତାର ଦେଖି ଦେଲେ ଥରେ ମନ ଆମ ମୋହି ନେବ ପ୍ରକୃତି କୋଳରେ ମନୋରମ ଦୃଶ୍ୟ କେତେ ଯେ ଆନନ୍ଦ ଦେବ । ପ୍ରକୃତି ଦେଇଛି ପୂର୍ଣ୍ଣମୀ ଜହ୍ନକୁ ବୁଣିବାକୁ ଜ୍ୟୋତ୍ସ୍ନା ରାଶି ତାହାରି ଭିତରେ ଖେଳି ବୁଲିବାକୁ ରାଗ ରୋଷ ମନୁ ନାଶି । ସବୁରି ଭିତରେ ଗଛ ସେ ଦେଇଛି ବଞ୍ଚିବାକୁ ଆମେ ପରା ଗଛର ଯତନ ନେବା ଯଦି ଆମେ ହସି ଉଠିବ ଏ ଧରା । କେତେ କେତେ ଚିଜ ପ୍ରକୃତି ଦେଇଛି ସବୁ ଆମ ଭଲ ପାଇଁ ସେସବୁ ସୁରକ୍ଷା ଆମର ଦାୟିତ୍ବ ହସି ହସାଇବା ଯାଇ । ∎ ମିଶ୍ର କଲୋନୀ ଶାଳପଡ଼ା , କେନ୍ଦୁଝର ଦୂରଭାଷ – ୯୪୩୮୪୧୪୭୦୧