ନଭାଂଗୁ ରେ ଖୁସି ପସରା ଡ.ବିଜୟା ପାତ୍ର ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-183c438715.html ଶୁଣିଲୁଣି କିରେ ଚକରା? ଢିମା ଢିମା ଆଖି ନଚେଇକି କହେ ତଳ ସାହି ପିଲା ମକରା। ବିଦେଶରେ କାଳେ ଯୁଦ୍ଧ ଲାଗିଅଛି ହୁଏ ବଡ ଘମାଘୋଟିଆ ଲୋକମାନେ ପରା ମରୁଛନ୍ତି ନିତି କଥା ନୁହଁ ଇଏ ଛୋଟିଆ କେତେ ଗୁଳିଗୋଳା ବୋମାମାଡ଼ ହୁଏ ସତେକି ରୋଷଣୀ ଯାତରା, ଜାଣିଛୁଟି ଆରେ ଚକରା! ବୋଉ କହେ ଗ୍ଯାସ ଜାଳିବନି ବୋଲି ପେଟ୍ରୋଲ, ଡିଜେଲ ମିଳୁନାହିଁ ବାପା ଆଣିଛନ୍ତି ବିଜୁଳି ଚୁଲ୍ଲୀ ଟେ ମିଟର ଉଠୁଛି ଘାଇଁ ଘାଇଁ ଦରକାର ନଥିଲେ ବୁଲ ନାହିଁ ବେଶୀ ସରକାର ଦେଲେଣି ଡାକରା, ଶୁଣିଛୁ କି ଆରେ ଚକରା? ବିରସ ମନରେ ଚକରା କହୁଛି ହଁ, ଟିଭିରେ ଦେଖିକି ଖବର ଜେଜ କହୁଥିଲେ ଏଇ ସବୁ କଥା ରଖନ୍ତି ସେ ଭାରି ନଜର ଛୁଟି ହେଇଛି ମୁଁ, ସ୍କୁଟି ଶିଖିବାକୁ ଭାବିଥିଲି ଯିବି ନଖରା, କି ହେବ ଆଉରେ ମକରା! ମକରା କହୁଛି ଚକରା, ଯୁଦ୍ଧ ମାଡି ମାଡି ଇଆଡେ ନଆସୁ ନଭାଂଗୁରେ ଖୁସି ପସରା। ∎ କୋଟି ତୀର୍ଥ ଲେନ୍ ଭୁବନେଶ୍ୱର-୨ ମୋ-୯୪୩୭୦ ୧୪୩୨୨