ତିନିଟି ଗଛ ସନ୍ତୋଷ କୁମାର ସାହୁ ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-16718b49d6.html ଗୋଟିଏ ମାଳି ତା`ର ବଗିଚାରେ ତିନୋଟି ଗଛ ଆଣି ଲଗାଇଲା। ତାଙ୍କ ମଧ୍ୟରୁ ଗୋଟିଏ ଥିଲା ଆମ୍ବ ଗଛ, ଆଉ ଗୋଟିଏ ପଣସ ଗଛ ଓ ଅନ୍ୟ ଟି ଲିମ୍ବ ଗଛ। ମାଳିଟି ତିନୋଟି ଯାକ ଗଛ ର ସମାନ ଭାବେ ଦାୟିତ୍ୱ ନିଏ। ଗଛ ତିନିଟି ଧୀରେ ଧୀରେ ବଢ଼ିବାକୁ ଲାଗିଲେ। ଆମ୍ବ ଓ ପଣସ ଗଛ ମଝିରେ ଲିମ୍ବ ଗଛଟି ପୋତାଯାଇଥାଏ। ହେଲେ ଆମ୍ବ ଓ ପଣସ ଗଛ ମଧ୍ୟରେ ଅଧିକ ବନ୍ଧୁତା ଥାଏ। ସେମାନେ ଲିମ୍ବ ଗଛ କୁ ଏତେ ଭଲପାଉନଥିଲେ। କାରଣ ଆମ୍ବ ଗଛ ଓ ପଣସ ଗଛ ଦୁହେଁ ଖୁବ ସୁନ୍ଦର ଥିଲେ । ବେଳେ ବେଳେ ଲିମ୍ବ ଗଛକୁ ଦେଖେଇ ଦିହେଁ କଥା ହୁଅନ୍ତି, ଆମ୍ବ ଓ ପଣସ ଖୁବ ସ୍ୱାଦିଷ୍ଟ ଫଳ, ମଣିଷ ମାନେ ଏହି ଫଳକୁ ବହୁତ ଭଲପାଆନ୍ତି ତେଣୁ ସେମାନେ ଆମର ଅଧିକ ଯତ୍ନ ନିଅନ୍ତି। ହେଲେ ଲିମ୍ବ ଗଛର ବ୍ୟବହାର ମଣିଷ ମାନଙ୍କ ଦେହ ଖରାପ ହେଲେ ଖୋଜାଯାଏ। ସେଥିପାଇଁ ତ ଲିମ୍ବ ଗଛ ଖୁବ କମ ଲଗାନ୍ତି। ଏମିତି କହି ଦିହେଁ ହସିଲେ। ଲିମ୍ବ ଗଛକୁ ତାଙ୍କ କଥା ବହୁତ କଷ୍ଟ ଦିଏ, ହେଲେବି ସେ ଆମ୍ବ ଓ ପଣସ ଗଛକୁ ବହୁତ ଭଲପାଏ। ଦିନେ ବଗିଚାରେ ଏକ ଗାଈ ପସିଆସିଲା, ଲିମ୍ବ ଗଛ କୁ ଛାଡି ବାକି ସବୁତକ ଖାଇ ଲଣ୍ଡା କରିଦେଲା। ଆମ୍ବ ଓ ପଣସ ଗଛକୁ ବହୁତ କଷ୍ଟ ହେଲା, କିନ୍ତୁ ଲିମ୍ବ ଗଛକୁ ତାଙ୍କଠାରୁ ଅଧିକ କଷ୍ଟ ହେଇଥିଲା ଏମାନଙ୍କ କଷ୍ଟକୁ ଦେଖି। ପରଦିନ ମାଳି ଆସି ଆମ୍ବ ଓ ପଣସ ଗଛ ଚାରିପାଖେ ବାଡ଼ ଦେଇଦେଲା, ଯାହାଦ୍ୱାରା କେହି କାହାରିକୁ ଦେଖିପାରିଲେ ନାହିଁ। ଲିମ୍ବ ଗଛଟି ଖୋଲା ରହିଥିଲା, କାରଣ ସେ ପିତା ଥିବାରୁ କୌଣସି ଜୀଵ ତାକୁ ଖାଇବାକୁ ଚେଷ୍ଟା କରିବେ ନାହିଁ। ବାଡ଼ ଭିତରେ ଥାଇ ବାହାରକୁ ଦେଖିପାରୁନଥିବାରୁ ସେମାନଙ୍କୁ ଭାରି କଷ୍ଟ ହୁଏ, ତେଣୁ ଲିମ୍ବ ଗଛକୁ ସେମାନେ ଭାରି ଈର୍ଷା କରନ୍ତି, ହେଲେ ଉପରେ ଉପରେ ଭଲରେ କଥା ହୁଅନ୍ତି। ଲିମ୍ବ ଗଛ ସେ ସବୁ କିଛି ବୁଝିପାରେନାହିଁ, ବରଂ ଖୁସି ହୋଇ ବାହାରେ ଘଟୁଥିବା ପ୍ରତ୍ୟକ ଘଟଣା ସେମାନଙ୍କୁ ଗୋଟି ଗୋଟି କରି କହେ। ଏମିତି ଅନେକ ଦିନ କଟିଗଲା, ତିନିଜଣଯାକ ଧୀରେ ଧୀରେ ବଡ଼ହେଲେ। ବସନ୍ତ ଋତୁ ଆସିଲା ତିନିଜଣ ଫଳ ରେ ପରିପୂର୍ଣ ଥିଲେ। ଆମ୍ବ ଓ ପଣସ ଗଛରେ ପ୍ରଚୁର ଫଳ ଆସିଥିବାରୁ ମାଳିଟି ବହୁତ ଖୁସି ହୋଇଗଲା। ସେଥିପାଇଁ ଲିମ୍ବ ଗଛକୁ ଦିହେଁ ଥାଟାରେ କହିଲେ, ଯଦି ତୋର ଫଳ ଟିକେ ବି ମିଠା ହୋଇଥାନ୍ତା, ଦେଖିଥାନ୍ତୁ ମାଳି ଏ ବଗିଚା ସାରା ଖାଲି ଲିମ୍ବ ଗଛ ଲାଗେଇଥାନ୍ତା। ଦିହେଁ ହସିଉଠିଲେ, ସେଥିପାଇଁ ଲିମ୍ବ ଗଛକୁ ବହୁତ ଖରାପ ଲାଗିଲା। ଥରେ ହଠାତ ପବନ ବହିଲା, ଆମ୍ବ ଓ ପଣସ ଦିହେଁ ଭୟରେ ଥରିଉଠିଲେ। ସେମାନଙ୍କୁ ରକ୍ଷା କରିବା ପାଇଁ ଲିମ୍ବ ଗଛ ତାର ଜୀବନକୁ ବାଜି ଲଗାଇଦେଲା, ଦୁହିଁଙ୍କୁ ପବନ ଦାଉରୁ ରକ୍ଷା କରିବା ପାଇଁ ନିଜେ ସେମାନଙ୍କ ଆଗରେ ଛିଡା ହୋଇ ସବୁ ଡାଳ ପତ୍ର ହରାଇ ଶେଷରେ ଉପୁଡି ତାର ଜୀବନ ଦେଇଦେଲା। ଲିମ୍ବ ଗଛ ଯିବା ପରେ ଆମ୍ବ ଓ ପଣସ ନିଜର ଭୁଲ ବୁଝିପାରିଲେ। ତାକୁ ଏତେ ଅପମାନ କଲାପରେ ବି ସେ ଦୁହିଁଙ୍କର ଜୀବନ ବଞ୍ଚାଇଲା। ସେ ହିଁ ଥିଲା ପ୍ରକୃତ ବନ୍ଧୁ। କିଛିଦିନ ପରେ ବର୍ଷା ଦିନ ଆରମ୍ଭ ହୋଇଗଲା। ଆମ୍ବ ଓ ପଣସ ଗଛ ଚାରିପାଖରେ ଲିମ୍ବ ଗଛର ଚାରା ଉଠିବା ଆରମ୍ଭ ହୋଇଗଲା, ଯାହାକୁ ଦେଖି ଦିହେଁ ବହୁତ ଖୁସି ହୋଇଗଲେ ଓ ସବୁତକ ଲିମ୍ବ ଗଛକୁ ବହୁତ ଭଲ ପାଇଲେ। ସେହିଦିନଠାରୁ ସେମାନେ ଗୋଟିଏ ସାଙ୍ଗକୁ ହରାଇ ଅନେକ ସାଙ୍ଗ ପାଇଲେ। ଶିକ୍ଷା : ବନ୍ଧୁତା କୌଣସି ରୂପ ବା ଧନରୁ ହୋଇନଥାଏ, ଏହା ହୋଇଥାଏ ଅନ୍ୟର ଆଚାର, ବ୍ୟବହାର ଓ ଭଲପାଇବାରୁ। ∎