ଆସ ଲଗାଇବା ଗଛ ପଣ୍ଡିତ ମଧୁସୂଦନ ମିଶ୍ର ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-0ef4533643.html କଥାଟି ସତ ନୁହଁଇ ମିଛ ଆମରି ମିତ ଗଛ । ତାହାରି ପାଇଁ ପରିବେଶଟା ହୁଅଇ ପୁରା ସ୍ଵଚ୍ଛ ।। ଗଛ ନଥିଲେ ଗରମ ବଢେ ହୁଏନି ଜମା ବୃଷ୍ଟି । ଧରଣୀ ଭୂଇଁ ଟାଙ୍ଗରା ଦିଶେ ବିଗିଡି ଯାଏ ସୃଷ୍ଟି ।। ଫଳ ସହିତ ଗଛ ଆମକୁ ଦିଅଇ ଅମ୍ଳଜାନ । ଅଙ୍ଗାରକାମ୍ଳ ଶୋଷଣ କରି ରଖେ ଆମରି ମାନ ।। ଗଛ ଡାଳରେ ପଶୁପକ୍ଷୀଏ କରନ୍ତି ବସବାସ । ଗଛ ପାଇଁତ ପ୍ରକୃତି ରାଣୀ ଦିଶଇ ହସହସ ।। ଆଗ ପରିକା ଘଞ୍ଚ ଜଙ୍ଗଲ କେଉଁଠି ଦିଶୁନାହିଁ । ଜଙ୍ଗଲ ହାତୀ ଖାଦ୍ୟ ନପାଇ ଗାଆଁ ଆସନ୍ତି ଧାଇଁ ।। ବରଷା ଦିନେ ଯତନ କରି ଲଗାଇଦେବା ଗଛ । ପରିବେଶର ପ୍ରଦୂଷଣକୁ ଗଛ କରଇ ସ୍ଵଚ୍ଛ ।। ଗଛ ପରିକା ପରମ ବନ୍ଧୁ ଜଗତେ ନାହିଁ କେହି । ବିନା କାରଣେ ଗଛକୁ ଆମେ କେବେ କାଟିବା ନାହିଁ ।। ∎ କେନ୍ଦୁଝର