ଖୁସି ମନେ ଉଡ଼ି ବୁଲୁଥା ` ହରିହର ଶୁକ୍ଳ ସେପ୍ଟେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-0c0a241ff7.html ପବନ କହିଲା, ଫୁଲ ରେ ତୁ ଝୁଲୁଥା` ଫୁଲ କହିଲା, ପାଖୁଡ଼ା ତୁ ଖୋଲୁଥା` ପାଖୁଡ଼ା କହିଲା, ଭଅଁର- ତୁ ଗୁଣୁଗୁଣୁ କରି ଚାରିପଟେ ଘୂରି ଖୁସି ମନେ ଉଡ଼ି ବୁଲୁଥା`। ବରଷା କହିଲା, ସୁଅ ରେ ତୁ ବହିଯା` ସୁଅ କହିଲା, ନଈ ରେ ତୁ ରହିଯା` ନଈ କହିଲା, ପାଣି ରେ- ତୁ କୁଳୁକୁଳୁ ହୋଇ ମିଠା ଗୀତ ଗାଇ କାହାଣୀ ତୋଅର କହିଯା`। ମାଆ କହିଲେ, କୁନା ରେ ତୁ ଖାଇଦେ` କୁନା କହିଲା, ଗୀତଟେ ତୁ ଗାଇଦେ` ମାଆ ଗାଇଲେ, ଜହ୍ନ ରେ- ତୁ ସରଗରୁ ଖସି କୁନା ପାଖେ ବସି ମୁଣ୍ଡେ ତା`ର ଟିକା ନାଇଦେ`। ∎ ବି-୧୦/୧୪୫, କେନ୍ଦ୍ରୀୟ ବିହାର ତମାଣ୍ଡୋ, ଭୁବନେଶ୍ବର-୨୮ ଭ୍ରାମ୍ଯଭାଷ:୯୮୬୮୮୦୫୯୯୬