ପାଦେ ଦେବା ମଥା ନଇଁ କୈଳାସ ଚନ୍ଦ୍ର ବେହେରା ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-0afef7b6a1.html ମାଆ ନାମେ ଥାଏ କେତେଯେ ମମତା କୋମଳ ସେ ମିଠା ସ୍ୱର ସରଗର ସୁଖ ଅମୃତରେ ଭରା ନିରିମଳ ବୁକୁ ଯାର l ଦଶମାସ ଯାଏ ଗରଭେ ଧରିଛି ଯେତେକ ଯାତନା ସହି ଅନ୍ଧାର କବାଟ ଶିକୁଳି ଫିଟାଇ ଦେଇଛି ଭୂଇଁରେ ଶୋଇ l ସୁଧା ଭରା କ୍ଷୀର ଝରାଇ ଛାତିରୁ ଦେଇଛି ପାଟିରେ ନେଇ ଉଦର ପୂରାଇ ପିଠି ଆଉଁସିଛି କଅଁଳ ଖରାରେ ଥାଇl ମାଆ ଡାକ ଥରେ ବାଜିଲେ କାନରେ ଭୁଲିଯାଏ ରାଗ ରୁଷା ପେଟ ମୁହଁ ଦେଖି ପଢ଼ିପାରେ ସିଏ ତା ପିଲା ମନର ଭାଷା l ବାର ଓଷା ବ୍ରତ ମନ୍ଦିରେ ପ୍ରଦୀପ ଜାଳେ ଉଜାଗର ରହି ପରିବାର ପ୍ରତିବେଶୀ ହିତେ ଥାଏ ନିଜ ଖୁସି ବଳିଦେଇ l ଗାନ୍ଧାରୀ ମାଆ ସେ ପୁଣ୍ୟ ପଥେ ଥାଏ ମଣେନା ଆପଣା ପର ତା ଆଖିରେ ଦେଖେ ସଭିଙ୍କୁ ସମାନ ଜୟ କହେ ଧରମର l ସରଗର ସୁଖ ବାଣ୍ଟୁଛି ମରତେ ସରବ ସହଣି ହୋଇ ଯଶୋଦା ଅବା ସେ ଦେବକୀ ମାଆର ପାଦେ ଦେବା ମଥା ନଇଁ l ∎ ତେମଳା. ନନ୍ଦିପଦା. କେନ୍ଦୁଝର!