ଲୁଣ ଦାଶ ବେନହୁର ଫେବୃଆରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-0a5e4711fa.html ମୋ ନାଆଁ ଶୁଣି କେହି କେହି ଭାବୁଥିବେ ଯେ ମୋ ବିଷୟରେ ସବୁକଥା ଜାଣିଛନ୍ତି । ହେଲେ ମୋ ସୁଆଦ ଛଡ଼ା ଆଉ କ`ଣ ବା ସେମାନେ ଜାଣିଛନ୍ତି ? ମତେ କେହି କହେ “ଖାଇବା ଲୁଣ, କିଏ “ଟେବୁଲ୍‌ ଲୁଣ`ନ ହେଲେ କିଏ କହେ ଖାଲି ଲୁଣ। ବୈଜ୍ଞାନିକମାନଙ୍କ ଭାଷାରେ ମୋର ନାମ ସୋଡିଅମ୍‌ କ୍ଲୋରାଇଡ୍‌ । ପ୍ରାଣୀଜଗତ ପାଇଁ ମୁଁ ଏକ ଅତ୍ୟନ୍ତ ଦରକାରୀ ପଦାର୍ଥ । ମାତ୍ର ମୋତେ ଅଧିକ ଖାଇଲେ ବିପଦ ଅଛି। ଖାଦ୍ୟ ପଦାର୍ଥକୁ ପାଗ କରିବା ପାଇଁ ଓ ଅଧିକ ସମୟ ସୁରକ୍ଷିତ କରି ରଖିବା ପାଇଁ ମତେ ବ୍ୟବହାର କରାଯାଇଥାଏ। ତେବେ ମଣିଷମାନଙ୍କର ବ୍ଯବହାର ପାଇଁ ମତେ ସାଧାରଣତଃ ସମୁଦ୍ର ଜଳରୁ ତିଆରି କରାଯାଇଥାଏ। ମତେ ଗାଁ ଗହଳରେ `ପଗଡ଼ ଲୁଣ” ବୋଲି କହନ୍ତି । ମାତ୍ର ମତେ ଚୁରି ଅତ ସରୁସରୁ ଦାନା କରିଦେଇ “ଟେବୁଲ୍‌ ଲୁଣ`ରୂପେ ବ୍ୟବହାର କରାଯାଏ। ଏକ ପ୍ରକାରର ଖଣିଜ ଶିଳାରୁ ମୋର ପ୍ରସ୍ତୁତିକୁ ସୈନ୍ଧବ ଲୁଣ କୁହାଯାଏ । ଏହାର ରଙ୍ଗ ମାଟିଆ ଓ ଏହା ଖଣିଜ ଗନ୍ଧଯୁକ୍ତ। ମାତ୍ର ସାଧାରଣ ଲୁଣ ବା ଖାଇବା ଲୁଣ ଧଳା ଓ ସ୍ପଟିକ ପରି ଦାନା-ବିଶଷ୍ଟ। ଆଜିକାଲି ମୋ ଦେହରେ ଆୟୋଡିନ୍‌ ଯୁକ୍ତ କରି ମଣିଷମାନଙ୍କର ସ୍ଵାସ୍ଥ୍ୟ ଲାଗି ବ୍ୟବହାର କରାଯାଉଛି। ଖାଦ୍ୟପଦାର୍ଥକୁ ମୁଁ ସୁଆଦିଆ କରିଥାଏ । ବହୁ ଅତୀତକାଳରୁ ମଣିଷ ସମାଜରେ ମୋର ପ୍ରଚଳନ ଅଛି । ଦରମାକୁ ଇଂରେଜୀରେ କୁହାଯାଏ ସାଲାରି । ଏହା ଲୁଣର ଇଂରେଜୀ ଶବ୍ଦ `ସଲ୍ଟ`ରୁ ଆସିଛି । ଅତୀତରେ ଲୁଣକୁ ମୂଲ ଆକାରରେ ଦିଆଯାଉଥିଲା ବୋଲି କେହି କେହ ଦାବି କରନ୍ତି। ସେମିତି ବିଭିନ୍ନ କଞ୍ଚାଖିଆ ପନିପରିବାକୁ ଏକାଠି କରି ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନକୁ କୁହାଯାଏ “ସାଲାଡ୍‌`। ଏହା ମଧ୍ଯ `ସଲ୍‌ଟେଡ୍‌` ବା `ଲୁଣିଆ`ଶବ୍ଦରୁ ଆସିଛି। ପୌରାଣିକ ବର୍ଣନାରେ ସମୁଦ୍ର ମନ୍ଥନରୁ ଯେଉଁ ଅମୃତ ମିଳିଥିଲା ସେ ଜିନିଷଟି ମୁଁ ବୋଲି କେତେକ ମଧ୍ୟ ଯୁକ୍ତି କରନ୍ତି । ଭାରତର ସମୁଦ ଉପକୂଳ ବେଶ୍‌ ଲମ୍ବା, ତେଣୁ ମୁଁ ସହଜରେ ମିଳେ । କିନ୍ତୁ ଇଂରେଜ ସରକାର ମୋ ଉପରେ କର ବସେଇ ଭାରତୀୟଙ୍କୁ ବଡ଼ ହଇରାଣ କରୁଥିଲେ। ସେଥିପାଇଁ ଗାନ୍ଧିଜୀ ବାଧ୍ୟ ହୋଇ ମୋ ନାଆଁରେ ସତ୍ଯାଗ୍ରହ କରିଥିଲେ। ଏ ସଫଳ ଆନ୍ଦୋଳନଟି ଲବଣ ଆନ୍ଦୋଳନ ବା ଦାଣ୍ଡିଯାତ୍ରା ଭାବରେ ଜଣାଶୁଣା । ∎