ସରିତାର ଦଶହରା ମଉଜ ଶ୍ରୀ କୁଞ୍ଜ ବିହାରୀ ସାହୁ ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-0941fb0d13.html ଏ ବର୍ଷ ପୂଜାଛୁଟିରେ ସରିତା ତା ଆଈଙ୍କ ଘରକୁ ଯାଇଥିଲା । ଅଜା-ଆଈଙ୍କୁ  ଦେଖି ଖୁସି ହେଲା ।  ସେମାନେ କହିଲେ, ସରିତା ତୁ ଆସିଛୁ ଭଲ କଲୁ । ଆମ ଗାଁରେ ଦେବୀ ଦୁର୍ଗା ମା`ଙ୍କର ପୂଜା ଦେଖିବୁ ।             ସରିତା ହଁ କହିଲା ।            ଗେଲ ବରଷର ନାତୁଣୀ । ଅଜା-ଆଈଙ୍କ ସାଥିରେ ଦିନବେଳା ଭୋଜନ ସାରିଦେଲା । ବିଶ୍ରାମ ନେଲା । ବେଳ ବୁଡ଼ିଆସିଲା ବେଳକୁ ଅଜା-ଆଈର ହାତ ଧରିଲା । ଗାଁର ପୂଜା ମଣ୍ଡପ ଆଡ଼େ ବୁଲି ବାହାରିଲା । ମଣ୍ଡପରେ ତୋରଣ ଲାଗିଛି । ଭଳିକି ଭଳି ରଙ୍ଗରଙ୍ଗିଆ ଲାଇଟ୍ ।  ଦେବୀ ଦଶଭୁଜାଙ୍କ ପୂଜା ଚାଲିଛି । ବ୍ରାହ୍ମଣମାନେ ପୂଜା ପାଠ କରୁଛନ୍ତି । ସରିତା ଦେବୀ ଦୁର୍ଗା ମାଙ୍କୁ ଭକ୍ତିରେ  ନମସ୍କାର କଲା । ଘଡ଼ିଏ ଅନେଇରହିଲା। ଦଶଭୁଜରେ ଦଶଟା ଅସ୍ତ୍ର । ମହିଷାସୁରଙ୍କ ଛାତି ଉପରେ ମା` ଙ୍କର ପାଦ ଓ ତ୍ରିଶୂଳ ରହିଛି  । ମହିଷାସୁର ଆଁ କରି ଚାହିଁଛି ।            ଆଈ କହିଲେ - ଡର ଲାଗୁଛି କି ସରିତା ?           ଆଈ ନାହିଁ ଯେ, ମହିଷାସୁର ବହୁତ ଦୁଷ୍ଟ ଅସୁର ହୋଇଥିବ । ଦେବତାମାନଙ୍କୁ ହଇରାଣ କରିଥିବ ।           ହଁ ଲୋ ନାତୁଣୀ ତୁ ଠିକ୍ ଭାବିଛୁ । ମହିଷାସୁର ବହୁତ ଦୁଷ୍ଟ ଥିଲା । ସାହସୀ ଓ  ବଳୁଆ ବି  ଥିଲା । ମନେ ମନେ ଗର୍ବ କରୁଥିଲା । ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ଲୋକଙ୍କୁ ହ୍ଇରାଣ କରୁଥିଲା । ସେ ଜଣେ ନାରୀ ହାତରେ ମରିବ ବୋଲି ଜାଣିଥିଲା।  ମା ଯେମିତି ସନ୍ତାନର ଦୁଃଖ ସହିପାରନ୍ତନି ସେମିତି ଦୁର୍ଗା ମା` ତିନିପୁର ଲୋକମାନଙ୍କର ଦୁଃଖ ସହିପାରିଲେନି । ସେ  ଦେବତାମାନଙ୍କର ଅସ୍ତ୍ର ଧରି ସିଂହ ପିଠିରେ ବସି ଦୁଷ୍ଟ ମହିଷାସୁରକୁ ବଧ କରିଦେଲେ । ବିପଦରୁ ସଭିଙ୍କୁ ଉଦ୍ଧାର କଲେ । ସେଥିପାଇଁ ଏ ଦିନଟିକୁ ବିଜୟା ଦଶମୀ ବୋଲି କୁହାଯାଏ । ସେଥିପାଇଁ ସବୁଆଡ଼େ ମା ଦେବୀ ଦୁର୍ଗାଙ୍କୁ ଆଶ୍ୱିନ ମାସରେ ପୂଜା କରାଯାଏ ।   ମା ଦୁର୍ଗାଙ୍କୁ ମୁଣ୍ଡିଆ ମାରିଦେ । ତୋତେ ସବୁ ବିପଦରୁ ରକ୍ଷା କରିବେ ।            ସରିତାର ଅଜା କହିଲେ -ଏଥର ଚାଲ ମୀନାବଜାର ବୁଲିବା । ଗୁପଚୁପ୍ ,ଠୁଙ୍କାପୁରି ଖାଇବା । ଦୋଳିରେ ବସିବା । ଖେଳନା ଦେଖିବା ।               ହଁ ହଁ ଅଜା ଚାଲ ବେଗି ବେଗି ଚାଲ, ଭୋକ ଲାଗିଲାଣି ।              ସରିତା ଅଜାଙ୍କ ହାତ ଧରି ମୀନାବଜାର ବୁଲିଲା । ଠୁଙ୍ଗାପୁରି ଖାଇଲା । ଦୋଳିରେ ବସି ମଜା ନେଲା । ତା ଅଜା- ଆଈ ସରିତାର ଦୋଳି ଖେଳ ଦେଖିଲେ । ଦୋଳି ଖେଳ ସାରି  ଅଜା ଆଈଙ୍କ ସାଥିରେ ସରିତା ଘରକୁ ଫେରିଲା ।            ସରିତାର ମାମୁ ସନ୍ଧ୍ୟାବେଳକୁ ଘରକୁ ଫେରି ଆସିଥିଲେ।   ସରିତାକୁ ଦେଖି ଖୁସି ହେଲେ । ସରିତା ମାମୁଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲା । ତା ମାମୁ କହିଲେ - ଆ ଆ  ତୋତେ ଭୋକ ଲାଗିବଣି । ମୋ ପାଖରେ ବସି ଖାଇଦେ ।           ସରିତା ମାମୁଙ୍କ ପାଖରେ ବସିଲା । ପେଟପୂରା ଖାଇଦେଲା । ଯାହାସବୁ ଦେଖିଥିଲା ଗୋଟି ଗୋଟି କରି କହିପକେଇଲା । ତା ମାମୁ କହିଲେ -  ସତରେ ତୁ ମୋର ସୁନା ଭାଣିଜୀ । ଦଶହରା ଛୁଟିରେ ଆସିଲୁ ବୋଲି କେତେ ମଉଜ କଲୁ ।           ସରିତା ମନଖୁସିରେ ହସିଦେଲା । ତା ମାମୁଙ୍କ ହାତରୁ ଶିଶୁପତ୍ରିକାଟେ ଛଡ଼େଇନେଲା । ମନଦେଇ ଗପ କବିତା ପଢ଼ିଦେଲା । ମା ଦୁର୍ଗାଙ୍କ ବିଷୟରେ ଅଧିକା କଥା ଜାଣିଲା । ∎ ଭୁବନେଶ୍ବର  ୭୦୦୮୧ ୪୨୦୪୦