ନାଲିଟୁକୁଟୁକୁ ସାଧବ ବୋହୂ ଜୟକୃଷ୍ଣ ସାହୁ ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-093c0c7a61.html ନାଲିଟୁକୁଟୁକୁ ସାଧବବୋହୂଲୋ ଠୁକୁଠୁକୁ ତୋର ଚାଲି ଟିକିଟିକି ଟିକି କଅଁଳ ପାଦରେ କୁଆଡ଼େ ଯାଉଛୁ ବୁଲି? ଟୁପୁଟୁପୁ ଟୁପୁ ବରଷା ଅସରା ବତାସ ଆସଇ ମାଡ଼ି କାହା ଭରସାରେ ଗୋଡ଼ କାଢ଼ିଅଛୁ ପିନ୍ଧି ନାଲିପାଟ ଶାଢ଼ି । ଭିଜି ଭିଜି ତୁଉ ବରଷା ପାଣିରେ ଅସଜ ଲାଗିଲେ ଦିହ କିଏ ଦେବ ତୋତେ ଓଷଦପତର କେ ସେବା କରିବ କୁହ। ଗୁଲୁ ଗୁଲୁ ତୋର ସୁନ୍ଦର ଚେହେରା ମଉଳିବ ଫୁଲ ପରି ତୋ ମରଦ ପରା ବିଦେଶେ ଅଛିଲୋ ନ ଆସିବ ଏବେ ଫେରି। ତୋର ଚୁଲୁବୁଲି  ଝିଅର ଅଳସ ଆଖିରୁ ନଇଁଲେ ନିଦ କିଏ ସେ କୋଳରେ ଜଡ଼ାଇ ଧରିକି ଖୋଇଦେବ ମୁଖେ ଦଦ। ମାଆ ମୋର ତେଣେ ବସିରହିଥିବ ମୋ ଫେରିବା ବାଟ ଚାହିଁ ତୋତେ ଦେଖିବାକୁ ଆସିଛି ମୁଁ ଧାଇଁ ମାଆକୁ ମୋର ନ କହି। ତୋ ଘରର ବାସିପାଇଟି ସବୁତ ପଡ଼ିଥିବ ତେଣେ ବାକି ଫେରିଯାଆ ତୋର ଘରକୁ ସହଳ ମୋର ସାନକୁହା ରଖି। ∎ କପିଳପ୍ରସାଦ,ଭୁବନେଶ୍ବର-୨ ମୋ-୯୯୩୭୦୯୨୩୯୭.