ହେବ ତୁମେ ଶ୍ରେଷ୍ଠ ନର ଲକ୍ଷ୍ମୀଧର ନାୟକ ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-057cb1c748.html ସମୟ ସାଥିରେ ଚାଲୁଥାଅ ସଦା ଅରଜିବ ଯଶମାନ, ସମୟର ଦାମ୍ ଅତୁଲ ଅଟଇ ସବୁଠାରୁ ମୂଲ୍ୟବାନ । ଯେଉଁ ଶିଶୁଟି ତା ମୂଲ୍ୟକୁ ବୁଝିଛି ହୋଇଛି ସେ ଦିନେ ବଡ଼, ମନର ସମସ୍ତ ଆଶା ପୂରା କରି ଜିଣିଛି ଅଭେଦ୍ୟ ଗଡ଼ । ସମୟାନୁସାରେ ଚାଲିବା ପାଇଁକି ଅଣ୍ଟାରେ ଝୁଲାଇ ଘଡ଼ି, ବାପୁ ପାରିଥିଲେ ନିଜ କର୍ମ ପଥୁ ନାନା ବାଧା ବିଘ୍ନ ଏଡି । ଘଣ୍ଟାର କଣ୍ଟାଟି ନିଷ୍ଠା ସହକାରେ ଅବିରାମ କାର୍ଯ୍ୟ କରେ, ତା`ପରି ହୋଇକି କର୍ମ କରୁଥିଲେ ଜୀବନ ଖୁସିରେ ଭରେ । ସମୟ କାହାକୁ ଅପେକ୍ଷା କରେନି ଦେଖେନି ଆପଣା ପର, ସମୟକୁ ଯିଏ ଆପଣାର କରେ ମିଳଇ ବାଞ୍ଛିତ ବର । କାଲି କାମ ଆଜି ଆଜି କାମ ଏବେ ସମୟ କହୁଛି କର, ତେବେ ଯାଇ ସିନା କୋଟିଏରେ ଗୋଟେ ହେବ ତୁମେ ଶ୍ରେଷ୍ଠ ନର । ∎ ବାଉଁଶିଆପଡା, ନୟାଗଡ଼