କୋଇଲି ଗାଉଛି ଗୀତ ମନୋରମା ମିଶ୍ର ଏପ୍ରିଲ: ୨୦୨୬ Canonical: https://sishu.kabitawithoutborders.org/shishu/article_details-033097e570.html କୋଇଲି ଗାଉଛି ଗୀତ ଶୀତ ଯାଇ ଏବେ ବସନ୍ତ ଆସିଛି ଅପରୂପ ଶୋଭା ନେଇ, ଫୁଲର ଫଗୁଣ ଚପଳ ଚଇତ ଆଣିଛି ସାଙ୍ଗରେ ସେହି ॥ ନାହିଁ ଶୀତ ନାହିଁ ଖରାର ପ୍ରକୋପ ନାହିଁ ଭୟ ବରଷାର, ସବୁ ରୁତୁଠାରୁ ସାର ବୋଲି ସିଏ ରୁତୁରାଜ ନାମ ତା`ର ॥ ଥୁଣ୍ଟାଗଛ ଦେହେ କଅଁଳି ପତର ଗହଳ ଦିଶୁଛି ସେ`ତ , ଆମ୍ବଡାଳେ ଲୁଚି କୁହୁକୁହୁ ସୁରେ କୋଇଲି ଗାଉଛି ଗୀତ ॥ କୋଇଲିର ସ୍ୱର କେଡେ ସୁମଧୁର ଶୁଣିଲେ ଲାଗଇ ଖୁସି, ରୂପ ସିନା କଳା ହେଲେ କି ହୋଇବ ସ୍ୱର ତା` ମଧୁର ବେଶି ॥ କେଉଁଠି କେଜାଣି ଥାଏ ସେ`କୋଇଲି ବସନ୍ତ ଆସିଲେ ଆସେ , ମଳୟ ପବନ ସାଥେ ତା`ର ଗାନ ସଭିଙ୍କ ପ୍ରାଣକୁ ତୋଷେ ॥ ରୂପଠାରୁ ଗୁଣ ପାଏଟି ଆଦର ଏହି ବାରତା ସେ` ଦେଇ , ବସନ୍ତ ସହିତ ଫେରିଯାଏ ତା`ର କୁହୁ ସ୍ୱନ ସାଥେ ନେଇ ॥ ∎ ନୀଳାଦ୍ରିବିହାର ଭୁବନେଶ୍ୱର