ଫେରିଯିବି ପୁଣି ଗାଆଁକୁ ହରିହର ଶୁକ୍ଳ ନଭେମ୍ବର : ୨୦୨୪ Canonical: https://sishu.kabitawithoutborders.org/shishu/article_details-02f4127adc.html ଗାଆଁଭୂଇଁ ମୋତେ ଆଦରେ ଡାକୁଛି ଫେରିଯିବି ତା`ର କୋଳକୁ, ଦିଆଲି ରାତିର ମଉଛବ ସାଥେ ରଙ୍ଗ ଖେଳିବାକୁ ଦୋଳକୁ। ତୋଟା ଗହଳରେ ଗପିବାକୁ ବସି ହସ ମଉଜରେ ମାତିକି, ଗାଆଁଦାଣ୍ଡ ସାରା ଘୂରି ବୁଲିବାକୁ କୁଆଁରପୂନେଇଁ ରାତିକି। କାକରପଖଳା ଘାସ ଗାଲିଚାରେ ସୁନେଲି ଖରାର ପରଶ, ମୁକୁତା ସମାନ ଝଲସେ ଯେଉଁଠି ପରାଣେ ଖେଳାଇ ହରଷ। ଚିତିରିମିତିରି ପରଜାପତିଟି ମଖମଲୀ ଡେଣା ହଲେଇ, ଫୁଲରୁ ଫୁଲକୁ ଉଡ଼ି ଉଡ଼ି ବୁଲେ ସବୁ ଦୁଃଖ ଦିଏ ଭୁଲେଇ। ଟୁବ ଗଡ଼ିଆରେ ନୀଳକଇଁ ଫୁଟି ଚାହିଁଥାଏ ଯହିଁ ଜହ୍ନକୁ, ଧାନଫୁଲ ତା`ର ମିଠା ମହକରେ ମହକାଇଦିଏ ମନକୁ। ଆମ୍ବନସିଭଙ୍ଗା ତା` ସଜପଖାଳ ବଡ଼ି-ନେଉଟିଆ ଶାଗଟି, କେଉଁ ଦରବ ବା ସରିହେବ ତା`ର ଲାଗେ ଆହା କେଡ଼େ ବାଗଟି! ଗାଆଁ ତୁଲ କେବେ ସହର କି ହେବ ଭରିଛି ଯେଉଁଠି ସରାଗ, ସରଳ ମନରେ ସାଇତା ଯେଉଁଠି ସ୍ନେହ-ଶରଧାର ପରାଗ? ଉଛୁର ନ କରି ସହରରୁ ଏବେ ଫେରିଯିବି ପୁଣି ଗାଆଁକୁ, ଗାଆଁମାଟି ଛୁଇଁ ପରମ ପୁଲକେ ନମିବାକୁ ମୋର ମାଆକୁ। ∎ ଭ୍ରାମ୍ଯଭାଷ:୯୮୬୮୮୦୫୯୯୬